ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଜନଜାତି ସଂସ୍କୃତି ଓ ଆଦିବାସୀ ମେଳା

Published By : Prameya | January 8, 2025 11:00 AM

  ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଚଳିତ ବର୍ଷର ଆଦିବାସୀ ମେଳା- ୨୦୨୫ । ୧୨ ଦିନ ଧରି (ଜାନୁଆରୀ ୫-୧୬ ତାରିଖ) ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଆଦିବାସୀ କୁଟୀର, ଆଦିବାସୀ ହାଟ, ପୋଖରୀ ଓ ପାହାଡ଼ ଆଦିର କୃତ୍ରିମ ସାଜସଜ୍ଜା ଓ ନିର୍ମାଣକୁ ନେଇ ସୃଷ୍ଟି ହୋଇଛି ଆଦିବାସୀ ଗାଁର ଭ୍ରମ। ବିଶେଷକରି ଏଥର ପ୍ରବାସୀ ଭାରତୀୟ ସମ୍ମିଳନୀ (ଜାନୁଆରୀ ୮-୧୦ ତାରିଖ)କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ସଜେଇ ହୋଇଛି ରାଜଧାନୀ । ରାସ୍ତାର ଉଭୟ ପାଶ୍ୱର୍ରେ ଉଜ୍ୱଳ ଆଲୋକମାଳା ସହିତ କାନ୍ଥବାଡ଼ରେ ଅଙ୍କା ହୋଇଛି ସୁନ୍ଦର ଚିତ୍ର । ଆଦିବାସୀ ଜନଜୀବନ, ସେମାନଙ୍କ କଳାସଂସ୍କୃତି, ପରମ୍ପରା, ଚଳଣି, ବସ୍ତ୍ରକଳା, ସ୍ଥାପତ୍ୟ, ନୃତ୍ୟସଙ୍ଗୀତ ପ୍ରଦର୍ଶନ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଚାର ପ୍ରସାର ସହିତ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଛି ଆଦିବାସୀ ମେଳା। 

ଚଳିତବର୍ଷ ମେଳାର ମୁଖ୍ୟ ଆକର୍ଷଣ ହୋଇଛି ଜନଜାତି ସମ୍ପ୍ରଦାୟର ପାରମ୍ପରିକ ଖାଦ୍ୟ, ସେମାନଙ୍କର ନୃତ୍ୟଗୀତ ଓ ବାଦ୍ୟଯନ୍ତ୍ର ଏବଂ ବିର୍ସାମୁଣ୍ଡା ଓ ଜନଜାତି ସମ୍ପ୍ରଦାୟର ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ କାହାଣୀ ପ୍ରଦର୍ଶନ । ଆଦିମ ଅଧିବାସୀ ଭାବରେ ଆଦିବାସୀମାନେ ହିଁ ଭାରତୀୟ ସଂସ୍କୃତିର ଆଦିନିର୍ମାତା । ଆଦିମ କାଳରୁ ଏ ଦେଶର ପାହାଡ଼ ପାଦଦେଶରେ କିମ୍ବା ଜଙ୍ଗଲ ଭିତରେ ବସତି ସ୍ଥାପନ କରିଥିବାରୁ ସେମାନେ ବନବାସୀ, ଗିରିଜନ ଓ ପାର୍ବତ୍ୟ ମଣିଷ ଭାବରେ ପରିଚିତ । ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି । ୨୦୧୧ ଜନଗଣନା ଅନୁଯାୟୀ ଦେଶର ମୋଟ୍‌ ଜନସଂଖ୍ୟାର ୯.୭ ଶତାଂଶ ଆଦିବାସୀ ହୋଇଥିବା ସ୍ଥଳେ ଓଡ଼ିଶାରେ ସେମାନଙ୍କର ସଂଖ୍ୟା (୯୫,୯୦,୬୫୬) ୨୨.୮୪ ଶତାଂଶ । ଆଦିବାସୀମାନେ ପ୍ରକୃତିର ସନ୍ତାନ । ଜଙ୍ଗଲ ସେମାନଙ୍କ ଜୀବନ ଜୀବିକାର ଆଧାର । କୈବଲ୍ୟର ଖଳା । ଗଛ ତାଙ୍କ ପାଇଁ ଦେବତା । ମାଟିରୁ ବାହାରି ଜଳ ଓ ତାପ ପାଇ ଆକାଶ ଆଡ଼କୁ ବିସ୍ତାରିତ ବୃକ୍ଷ ଭିତରେ ପ୍ରଥମେ ଆଦିବାସୀମାନେ ହିଁ ବିଶ୍ୱପ୍ରକୃତିର ମୌଳିକ ପ୍ରତ୍ୟୟ ଆବିଷ୍କାର କରି ଆରମ୍ଭ କରିଥିଲେ ବୃକ୍ଷପୂଜା ପରମ୍ପରା । ଆଦିବାସୀମାନେ ଖୁବ୍‌ ସରଳ, ପରିଶ୍ରମୀ ଓ କଷ୍ଟସହିଷ୍ଣୁ । ଉଦ୍ୟମ ଏମାନଙ୍କୁ ଦିଏ ପ୍ରଚୁର ଆନନ୍ଦ। 

ପାରମ୍ପରିକ ରୀତିନୀତି, ବେଶ ପୋଷାକ, ଖାଦ୍ୟପେୟ ଓ ଧର୍ମବିଶ୍ୱାସକୁ ଜାବୁଡ଼ି ଧରି ଏମାନେ ପ୍ରକୃତି କୋଳରେ ଗୋଷ୍ଠୀବଦ୍ଧ ଜୀବନ ଅତିବାହିତ କରନ୍ତି ଏବଂ ମହୁଲ ଫୁଲର ମହକ ଓ ସଲପର ମାଦକତା ଭିତରେ ଅନୁଭବ କରନ୍ତି ପ୍ରାଚୁର୍ଯ୍ୟମୟ ଜୀବନର ଉଲ୍ଲାସ । ନାରୀର ସ୍ଥିତି, ସୁରକ୍ଷା ଓ ସ୍ୱାଧୀନତା ପ୍ରସଙ୍ଗରେ ଖୁବ୍‌ ଉଚ୍ଚାଙ୍ଗ ମନେହୁଏ ଓ ଜନଜାତି ସାଂସ୍କୃତିକ ପରମ୍ପରା ଓ ସାମାଜିକ ଜୀବନଧାରା । ତୁଳନାତ୍ମକ ଭାବେ ବିଚାର କଲେ ତଥାକଥିତ ସଭ୍ୟ ସମାଜର ସୁଦୀର୍ଘ ସାଂସ୍କୃତିକ ଇତିହାସରେ ନାରୀ କେବେ ବି ପୁରୁଷ ସହ ସମତୁଲ ଜୀବନ ବଞ୍ଚନ୍ତି, ବରଂ ବଞ୍ଚିଛି ଏକ ଅବହେଳିତ ଜୀବନ । ଏକବିଂଶ ଶତାବ୍ଦୀର ପ୍ରଗତି ପ୍ରେକ୍ଷାପଟରେ ବି ଏଠାରେ ବଦଳିନାହିଁ ନାରୀ ପ୍ରତି ପୁରୁଷର ମଧ୍ୟଯୁଗୀୟ ମାନସିକତା । ଅନ୍ୟପକ୍ଷରେ ଆଦିବାସୀ ସମାଜରେ ନା ଅଛି ଯୌତୁକ ନିର୍ଯାତନା ନା ନାରୀ ପ୍ରତି ପୁରୁଷର ବଳାତ୍କାର ମାନସିକତା । ମା'କୁ ସମ୍ମାନ ଓ ସୁରକ୍ଷା ସେଠାରେ କିଛି ରାଜନୈତିକ ସ୍ଳୋଗାନ ନୁହେଁ, ବରଂ ଏକ ସାଂସ୍କୃତିକ ଅକଲବନ୍ଦୀ । ସାମାଜିକ ଦାୟିତ୍ୱ । ଆଦିବାସୀମାନେ ସତ୍ୟର ପୂଜାରୀ ଓ ସ୍ୱାଭିମାନର ମଣିଷ । ସ୍ୱାଭିମାନକୁ ବଳିଦେଇ ହାତ ପାତନ୍ତିନି କାହା ପାଖରେ । ତେଣୁ ଭିକ୍ଷାବୃତ୍ତି ପ୍ରତି ସେମାନଙ୍କର ପ୍ରବଳ ଘୃଣା । 

ସ୍ୱାଭିମାନ ଉପରେ ଆଘାତ ଲାଗିଲେ ଆଦିବାସୀ ପାଲଟିଯାଏ ବଣର ବାଘ ଭାଲୁ ପରି ହିଂସ୍ର ଓ ଅରଣା । ଏମାନେ ଯେତିକି ସ୍ୱାଧୀନଚେତା, ସେତିକି ଦେଶପ୍ରେମୀ । ଆଦିବାସୀ ଆଦୌ ଅଧିକାରବାଦୀ ନୁହେଁ ସତ୍ୟ, କିନ୍ତୁ ଭିଟାମାଟି ପ୍ରତି ତାର ମମତା ଦୁର୍ବାର । ସାଧାରଣତଃ ଯେଉଁଠାରେ ଆଦିବାସୀ ବସତି, ସେଠାରେ ପ୍ରାକୃତିକ ସଂପଦର ଗନ୍ତାଘର । ତାହା ହିଁ ଆଦିବାସୀଙ୍କ ଦୁର୍ଭାଗ୍ୟର ବଡ଼ କାରଣ । ଅର୍ଥାତ୍‌ ସେଠାକାର ମାଟିତଳେ ଥିବା ଖଣିଜ ସଂପଦକୁ ହାତେଇବା ପାଇଁ ଅଳିଆ ସଫା କଲା ଭଳି ହଟେଇ ଦିଆଯାଏ ଆଦିବାସୀ ବସ୍ତି । ସରକାରଙ୍କ ଏହି ଆତ୍ମଘାତୀ ଶିଳ୍ପାୟନ ପ୍ରୀତି ଯୋଗୁଁ ଉଜୁଡ଼ି ଯାଇଛି ଦିଗନ୍ତ ବିସ୍ତାରି ଘଞ୍ଚ ଅରଣ୍ୟ । ଶୁଖିଯାଇଛି ଝରଣା । ଟାଙ୍ଗରା ପାହାଡ଼ ଉପରେ ମଥା ପିଟୁଛି ଡଙ୍ଗର ଉପତ୍ୟକାର କନ୍ଧ ପରଜା । ତଥାକଥିତ ବିକାଶର ରଥ ଚକ ତଳେ ଚାପି ହୋଇଯାଇଛି ଗୋଟିଏ ସ୍ୱୟଂସମ୍ପୂର୍ଣ୍ଣ ସଂସ୍କୃତି । ଆଦିବାସୀଙ୍କ ପାଖରେ ରହିଛି ଶସ୍ୟ ବିବିଧତାର ଭଣ୍ଡାର । ଡାଲି, ତୈଳବୀଜ ଓ କନ୍ଦା ଜାତୀୟ ଫସଲର ବିହନ ଉତ୍ପାଦନ ଜ୍ଞାନକୌଶଳ ତାର ସ୍ୱୟଂସିଦ୍ଧ । ଆଦିବାସୀଙ୍କ ଆହାର ତତ୍ତ୍ୱ ସ୍ୱାସ୍ଥ୍ୟ ଅନୁକୂଳ ଓ ବିଜ୍ଞାନସମ୍ମତ । ସେମାନଙ୍କର ପ୍ରିୟ ଖାଦ୍ୟ ମାଣ୍ଡିଆ । ସକାଳୁ ଉଠି କାମକୁ ବାହାରିବା ପୂର୍ବରୁ ବେଲାଏ ମାଣ୍ଡିଆ ପେଜ ପିଇବା ସେମାନଙ୍କର ଅଭ୍ୟାସ । ପୁଷ୍ଟିସାଧନ ଦୃଷ୍ଟିରୁ ମାଣ୍ଡିଆ ହେଉଛି ପୋଷଣର ଭଣ୍ଡାର । ମାଣ୍ଡିଆ ଏପରି ଏକ ପରିବେଶ ଉପଯୋଗୀ ଖାଦ୍ୟ, ଯାହା ଡହଡହ ଖରାରେ ବି ଶରୀରକୁ ପ୍ରଦାନ କରେ ଶୀତଳତା । ପ୍ରାଚୀନ ସାହିତ୍ୟ ରାମାୟଣରେ ରହିଛି ଆଦିବାସୀଙ୍କ କାରିଗରୀ କୌଶଳର ନମୁନା । 

ଭାସମାନ ଶିଳାରେ ନିର୍ମିତ ରାମସେତୁ ଏବେସୁଦ୍ଧା ସମୁଦ୍ରରେ ବିଦ୍ୟମାନ । ଦୁନିଆରେ ସବୁଠାରୁ ଦୀର୍ଘସ୍ଥାୟୀ କୁହାଯାଉଥିବା ଏହି ସେତୁର ବିନ୍ଧାଣୀ ଥିଲେ ବିଶିଷ୍ଟ ଯନ୍ତ୍ରୀ ନଳ, ଯିଏ ଜଣେ ବନବାସୀ । ରାମାୟଣରେ ରହିଛି ଲକ୍ଷ୍ମଣର ଶକ୍ତିଭେଦ ପ୍ରସଙ୍ଗ । ସଂଜ୍ଞାହୀନ ଲକ୍ଷ୍ମଣ ଆଶୁ ଆରୋଗ୍ୟ ଲାଭ କରିଥିଲେ ଜଣେ ବନବାସୀ ଚିକିତ୍ସକଙ୍କ ସହାୟତାରେ । ପ୍ରାଚୀନ ସାହିତ୍ୟରେ ଏସବୁ ବର୍ଣ୍ଣନା ହୋଇପାରେ କବିର କଳ୍ପନା । କିନ୍ତୁ ଏହି କଳ୍ପନା ଭିତରେ ରହିଛି ଆଦିବାସୀଙ୍କ ଦ୍ୱାରା ପରୀକ୍ଷିତ ବିଭିନ୍ନ ପ୍ରାଣରକ୍ଷାକାରୀ ଔଷଧୀୟ ବୃକ୍ଷଲତା, ଗୁଳ୍ମ ଓ ଚେର ସମ୍ପର୍କିତ ସୂଚନା । ଆଦିବାସୀଙ୍କ ଶିକ୍ଷା, ସଚେତନତା ତଥା ସର୍ବାଙ୍ଗୀଣ ବିକାଶ ଅତ୍ୟନ୍ତ ଜରୁରି । ଶିକ୍ଷାର ପ୍ରସାର ଘଟିଲେ ଲୋପ ପାଇବ ସେମାନଙ୍କ ଭିତରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର । ମାତ୍ର ପ୍ରଗତି ନାଁରେ ପରମ୍ପରା ପ୍ରତି କୁଠାରାଘାତ କାରଣରୁ ବିକାଶ ପ୍ରକ୍ରିୟା ଯେତେ ଆଗକୁ ଯାଉଛି ସେତିକି ଉତ୍‌ଖାତ ହେଉଛି ଜନଜାତି ଭାଷା ଓ ସଂସ୍କୃତି । ଭିଟାମାଟିରୁ ବିସ୍ଥାପିତ ହୋଇ ଆଦିବାସୀମାନେ କାମଧନ୍ଦା ପାଇଁ ଏବେ ସହରମୁହାଁ ହେଉଛନ୍ତି ଏବଂ ସେଠାରେ ମାଣ୍ଡିଆଜାଉ ବଦଳରେ ଖୋଜୁଛନ୍ତି ଫାଷ୍ଟଫୁଡ୍‌ ଦୋକାନ । ଏହି ଦୃଷ୍ଟିରୁ ଜନଜାତିର ଜ୍ଞାନଗର୍ଭା ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ଆଦିବାସୀ ମେଳା ଆୟୋଜନ ଏକ ଯଥାର୍ଥ ପଦକ୍ଷେପ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.